ଖତଗଦାରେ ପୋତିହୋଇ ଜୀବନ ସଂଗ୍ରାମ କରୁଥିବା ଶିଶୁ କନ୍ୟା-ଜିଲା ଯାକର ନୟନ ପିତୁଳା

ଯାଜପୁର : ଦୁଇଦିନ ତଳେ ଏକ ଖତଗଦାରେ ପୋତିହୋଇ ଜୀବନ ସଂଗ୍ରାମ କରୁଥିବା ଶିଶୁ କନ୍ୟା ଆଜି ନିଜର ପରିଚୟ ପାଇ ସୀତା ନାମରେ ପରିଚିତ ହୋଇଛି। କେବଳ ଅପରିଚିତା ସୀତା ପରିଚୟ ପାଇନାହିଁ ବରଂ ଜିଲା ଯାକର ନୟନ ପିତୁଳା ପାଲଟି ଯାଇଛି। ଜେନାପୁର ଥାନା ଅଧିନ ଶ୍ୟାମସୁନ୍ଦରପୁର ଅଂଚଳର ଖତଗଦାରୁ ଉଦ୍ଧାର ହୋଇଥିବା ଶିଶୁକନ୍ୟା ଯାଜପୁର ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛି। ଯାହା ଉପରେ କେବଳ ସ୍ୱାସ୍ଥ୍ୟ ବିଭାଗ କି ଜିଲା ପ୍ରଶାସନ ନୁହେଁ ସାରା ଜିଲାବାସୀଙ୍କ ନଜର କେନ୍ଦ୍ରିଭୂତ ହୋଇଛି। ମା’ ବାପା ସିନା ଜନ୍ମ କରି ଲାଳନ ପାଳନ କରିବା ବଦଳରେ ମୁହଁରେ କପଡା ଗୁଡାଇ ଖତଗଦାରେ ପୋତିଦେଇ ମରଣ ମୁହଁକୁ ଠେଲିଦେଇ ନୀରବ ହୋଇଗଲେ ହେଲେ ଏହି ମା’ ଛେଉଣ୍ଡ ସୀତାକୁ ଲାଳନପାଳନ କରିବାକୁ ବହୁ ମା’ ହାତ ବଢାଇ ଦେଉଛନ୍ତି। ବାପା ସିନା ପିତୃତ୍ୱର କର୍ତବ୍ୟ ଠାରୁ ଦୂରେଇ ଯାଇ ମାଟି ଖୋଳି ଜିଅନ୍ତା ନିଷ୍ପାପ ଶିଶୂକୁ ମାଟିରେ ପୋତିଦେଇ ଚୁପ ହୋଇଗଲା; ହେଲେ ନିଷ୍ପାପ ସୀତା ପାଇଁ ପିତୃତ୍ୱର କର୍ତ୍ତବ୍ୟ ପାଳନ କରିବାକୁ ଆଜି ବହୁ ବିଶିଷ୍ଠ ବ୍ୟକ୍ତି ଧାଡିବାନ୍ଧି ଛିଡା ହୋଇଛନ୍ତି। ଖତଗଦାର ମାଟିତଳେ ପୋତି ହୋଇଯିବା ପୂର୍ବରୁ କୁଆଁ କୁଆଁ କାନ୍ଦୁଥିଲା ବେଳେ ବାପା ଓ ମା’ଙ୍କ ପଥର ହୃଦୟକୁ ସିନା ତାର କାନ୍ଦ ତରଳାଇ ପାରିନଥିଲା ହେଲେ ଆଜି ସେ ଟିକିଏ କାନ୍ଦିଲେ ତା ପାଖରେ ଭିଡ ଜମି ଯାଉଛି। ତାକୁ ବୁଝେଇବାକୁ ଓ ତାର କାନ୍ଦକୁ ଟିକିଏ ବନ୍ଦ କରିବାକୁ ଆରମ୍ଭ ହୋଇଯାଉଛି ଉଦ୍ୟମ। ତାହା ପୁଣି ତାର କାନ୍ଦ ବନ୍ଦ ନହେଲା ପର୍ଯ୍ୟନ୍ତ। ଶିଶୁକନ୍ୟା ଉଦ୍ଧାର ହେଲାପରେ ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ଜିଲାପାଳ ରଂଜନ କୁମାର ଦାସ ସଚ୍ଚା ମଣିଷ ପଣିଆର ପରିଚୟ ଦେଇ ତାକୁ କେବଳ ବଂଚାଇବାର ଉଦ୍ୟମ କରିନାହାନ୍ତି। ତାର ସାମାଜିକ ପରିଚୟ ମଧ୍ୟ ଦେଇଛନ୍ତି। ସେଦିନର ଅବାଞ୍ଛିତ ଶିଶୂକନ୍ୟା ଆଜି ଜିଲାର ଝିଅ ହୋଇ ଯାଇଛି। ସେ ପୁଣି ଏମିତି ସେମିତି ଝିଅ ନୁହେଁ ସଂସ୍କୃତି ସମ୍ପନ୍ନ, ଗାରିମାମୟ ଜିଲା ଯାଜପୁରର ଝିଅ ସୀତା। ଯାଜପୁରର ପୁଅ ଶକ୍ତିମନ୍ତ୍ରୀ ନିଜ ଜିଲାର ଏହି ଶିଶୁକନ୍ୟାକୁ ନିଜର ଦରଦୀ ହୃଦୟରେ ଆପଣାର କରିଥିଲା ବେଳେ ଆଉ ଏକ ବିଶାଳ ଦରଦୀ ହୃଦୟର ଅଧିକାରୀ ବୋଲି ପ୍ରମାଣିତ କରିଛନ୍ତି ଜିଲାର ଜିଲାପାଳ ରଂଜନକୁମାର ଦାସ। ସୀତାର ଚିକିତ୍ସା ସହିତ ଲାଳନ ପାଳନରେ ଯେପରି କାଣିଚାଏ ଉଣା ନହୁଏ ସେଥିପ୍ରତି ପ୍ରତି ମୁହୂର୍ତ୍ତରେ ନଜର ଦେଉଛନ୍ତି ଜିଲାପାଳ। ମନ୍ତ୍ରୀଙ୍କ ସହିତ ଜିଲାପାଳ ସୀତାର ଭବିଷ୍ୟତ ପାଇଁ ବହୁ ଦୀର୍ଘ ମିଆଦି ଯୋଜନା ଚିନ୍ତା କରୁଥିଲାବେଳେ ଅଲୋଡା ସୀତା ଆଉ ଅଲୋଡା ହୋଇ ରହିବ ନାହିଁ। ଜନ୍ମର ଠିକ ପରେ ମୃତ୍ୟୁକୁ ଜିତି ଯାଇଥିବା ସୀତା ଆଗକୁ ବଢିବ ଓ ଦିନେ ସମାଜରେ ନିଜକୁ ପ୍ରତିଷ୍ଠିତ କରିବ ଏହି କାମନା ଅଧିଷ୍ଟାତ୍ରୀ ଦେବୀ ମା ବିରଜାଙ୍କ ନିକଟରେ ଜିଲାବାସୀ କରିଛନ୍ତି ଏହା ସତ୍ୟ। ହେଲେ ବିଡମ୍ବନା ଆଜିର ସୀତାକୁ ଗର୍ଭରେ ଧରି ତାକୁ ଜନ୍ମ ଦେଲାପରେ ଜନ୍ମଦାତ୍ରୀ ମା’ ତାକୁ କିଭଳି ନିଷ୍ଠୁର ଭାବେ ଅନ୍ୟ ଜଣଙ୍କ ହାତକୁ ଟେକିଦେଲା ଓ ତାକୁ କିଭଳି ଭାବେ ନିଷ୍ଠୁରତାର ସହିତ ସେହି ବ୍ୟକ୍ତି ଜଣକ ମାଟି ଖୋଳି ପୋତି ଦେଇ ପାରିଲା ତାହା ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରୁଛି। କ’ଣ ଦୋଷ ଥିଲା ନିଷ୍ପାପ ସୀତାର। ମା’ ଗର୍ଭରେ ବଢିବାର ଦୋଷ ନା ଝିଅ ହୋଇ ଜନ୍ମ ନେବାର ଦୋଷ। ଏକୋଇଶିଆ ପୂର୍ବରୁ ସୀତାର ନାମକରଣ ହୋଇ ଯାଇଛି। ମହା ଆଡମ୍ବରରେ ଏକୋଇଶିଆ ପାଳନ ହେବାର ଯୋଜନା ଆରମ୍ଭ ହେଲାଣି। ସବୁ ପରେବି ଜିଲାବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ଏହି ସୀତାର ଜନ୍ମଦାତ୍ରୀ ଓ କିଏ ସୀତାର ବାପା। କିଏ ସେହି ମା’ ଯିଏ ନିଷ୍ପାପ ସୀତାକୁ ନିଜର ଅମୃତ ସମ କ୍ଷୀରରୁ ବଂଚିତ କରି ମାରିଦେବାକୁ ଟେକି ଦେଇଥିଲା ଅନ୍ୟ ହାତକୁ।

Advertisements

Leave a Reply

Fill in your details below or click an icon to log in:

WordPress.com Logo

You are commenting using your WordPress.com account. Log Out / Change )

Twitter picture

You are commenting using your Twitter account. Log Out / Change )

Facebook photo

You are commenting using your Facebook account. Log Out / Change )

Google+ photo

You are commenting using your Google+ account. Log Out / Change )

Connecting to %s